କେସିସି ବ୍ୟାଙ୍କରୁ ୧.୮ କୋଟି ଅର୍ଥ ଆତ୍ମସାତ୍ ଘଟଣା; ବ୍ୟାଙ୍କ ମ୍ୟାନେଜରଙ୍କ ଲିଙ୍କରେ ପ୍ରେମୀଯୁଗଳଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର(୦୭/୦୬)ପ୍ରତୀକ ସମାଚାର - କୋରପୁଟ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ (KCC) ବ୍ୟାଙ୍କ୍ ମାଲକାନଗିରି ଶାଖାରୁ ୧ କୋଟି ୮ ଲକ୍ଷ ୭୫ ହଜାର ସରକାରୀ ଅର୍ଥ ଆତ୍ମସାତ୍ ଘଟଣାରେ ଭିଜିଲାନ୍ସ ନିର୍ଦ୍ଦେଶାୟ ଅଧିକ ଖୋଳତାଡ ଚଳାଇଛି। ତଦନ୍ତ ବେଳେ ଏହି ଠକେଇର ବଡ ଗୁମର ପଦାକୁ ଆସିଛି। ଗିରଫ ହୋଇଥିବା ବ୍ୟାଙ୍କ ମ୍ୟାନେଜର ସୁଧାଂଶୁ ଖରାଙ୍କୁ ରିମାଣ୍ଡରେ ନେଇ ଭିଜିଲାନ୍ସ ଅଧିକ ଜେରା କରିବା ପରେ ଠକ ଯୋଡିଙ୍କ ଲିଙ୍କ୍ ସାମ୍ନାକୁ ଆସିଛି। ଭିଜିଲାନ୍ସ ପକ୍ଷରୁ ଆଜି ସମ୍ପୃକ୍ତ ଠକଯୋଡିଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନୃସିଂହ ପ୍ରସାଦ ଖମାରି ଓ ସୁଶ୍ରୀ ନିବେଦିତା ତରାଇ ଓରଫ ସୁଶ୍ରୀ ସୁଲଗ୍ନା। ଭିଜିଲାନ୍ସ ସୂଚନା ଅନୁଯାୟୀ, ଗିରଫଦାରୀରୁ ବର୍ତ୍ତିବା ପାଇଁ ସୁଧାଂଶୁ ହଡ଼ପ କରିଥବା ଟଙ୍କାରୁ ୬୩ ଲକ୍ଷ ଠକଯୋଡିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ । ଏହି ଠକ ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଓ ଉଭୟେ ବହୁଦିନ ହେବ ଲିଭ-ଇନ୍ ରିଲେଶନସିପରେ ରହୁଥିଲେ । ଅଭିଯୁକ୍ତ ଦ୍ୱୟଙ୍କ ଭୁବନେଶ୍ୱରସ୍ଥିତ ଘର ଯାଞ୍ଚ ବେଳେ ୩୩ଟି ମୋବାଇଲ, ଡେସ୍କଟପ୍, ହଡ଼ପ ଟଙ୍କାରୁ କିଣିଯାଇଥିବା ସୁନା ଅଳଙ୍କାର, ଡ୍ରୋନ୍, କ୍ୟାମେରା ଆଦି ଜବତ ହୋଇଛି। ବଡ଼ କଥା ହେଉଛି, ପ୍ରମାଣ ଲୁଚାଇବାକୁ ୩୩ଟି ମୋବାଇଲରୁ ୨୭ଟିକୁ ଭାଙ୍ଗି ଦିଆଯାଇଛି। ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ ପାଇଁ ଭିଜିଲାନ୍ସ ପ୍ରକ୍ରିୟା ଆରମ୍ଭ କରିଛି।ଅଭିଯୁକ୍ତ ପ୍ରେମୀଯୁଗଳଙ୍କ ୨୫ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଭିଜିଲାନ୍ସର ବ୍ୟାଙ୍କିଙ୍ଗ୍ ଏକ୍ସପର୍ଟଙ୍କ ଦ୍ଵାରା ଯାଞ୍ଚ କରାଯାଉଛି। ଏଥିସହ ଉଭୟ ଖୋଲିଥିବା ୧୨ଟି ଷ୍ଟକ୍ ଟ୍ରେଡିଂ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ଉଭୟଙ୍କ ପାଖରୁ ଅଧିକ ପରିମାଣର ଟଙ୍କା ଠାବ ହେବ ବୋଲି ଭିଜିଲାନ୍ସ ସନ୍ଦେହ କରୁଛି।ଅଭ୍ୟାସଗତ ଠକ ପ୍ରେମୀଯୁଗଳଗିରଫ ହୋଇଥିବା ପ୍ରେମୀଯୁଗଳଙ୍କ ନାଁରେ ପୂର୍ବରୁ ଏକାଧିକ ଠକେଇ ମାମଲା ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସେମାନେ ଅଭ୍ୟାସଗତ ଭାବେ ବହୁ ଲୋକଙ୍କୁ ଠକିଛନ୍ତି। ନୃସିଂହଙ୍କ ନାଁରେ ବେଙ୍ଗାଲୁରୁ କମିଶନରେଟ୍ ପୋଲିସରେ ୧୪ ଲକ୍ଷ ଟଙ୍କାର ଠକେଇ ମାମଲା ରହିଛି। ସେହିପରି ଉଭୟ ଜଗତସିଂହପୁରରେ ମଧ୍ୟ ୩୦ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି । ବାରିପଦା, ପାରାଦ୍ୱୀପ ଓ ଭୁବନେଶ୍ୱରରେ ମଧ୍ୟ ଉଭୟ ଠକେଇ କରିଥିବା ଆଶଙ୍କା ଥିବା ଭିଜିଲାନ୍ସ କହିଛି। ସୁଧାଂଶୁଙ୍କ ସହ ଫେସବୁକରେ ହୋଇଥିଲା ସମ୍ପର୍କ ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜ୍ ଅନୁସାରେ, ଅଭିଯୁକ୍ତ ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁଙ୍କ ସହ ଫେସବୁକରେ ସୁଶ୍ରୀର ଯୋଗାଯୋଗ ହୋଇଥିଲା। ଏହାପରେ ଉଭୟ ବ୍ୟାଙ୍କ ଠକେଇ କରିବାକୁ ଯୋଜନା କରିଥିଲେ। ୨ ଦିନ ତଳେ ଗିରଫ ହୋଇଥିଲେ ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଅର୍ଥ ହଡ଼ପରେ ବ୍ୟାଙ୍କ ମ୍ୟାନେଜର ସୁଧାଂଶୁ ଖରାଙ୍କ ହାତ ଥିବା ତଦନ୍ତରୁ ଜଣାପଡିବା ପରେ ତାଙ୍କୁ ଭିଜିଲାନ୍ସ ମେ' ୫ (ମଙ୍ଗଳବାର)ରେ ଗିରଫ କରିଥିଲା। ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଦୁଇଟି ମାମଲା ନଂ.୪ ଓ ୫ ମଧ୍ୟ ପଞ୍ଜୀକୃତ କରାଯାଇଛି। ସୁଧାଂଶୁଙ୍କୁ କୋର୍ଟଚାଲାଣ କରାଯିବା ପରେ ରିମାଣ୍ଡରେ ଆଣି ଭିଜିଲାନ୍ସ ତାଙ୍କୁ ଜେରା କରୁଛି। ମାଲକାନଗିରିର ଚାଷୀମାନେ ଋଣ ବାବଦକୁ ପୈଠ କରିଥିବା ପ୍ରାୟ ୧ କୋଟି ୮ ଲକ୍ଷ ୭୫ ହଜାର ଟଙ୍କାକୁ ସେମାନଙ୍କ ଖାତାରେ ଜମା ନ କରି ଅଭିଯୁକ୍ତ ମ୍ୟାନେଜର ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।

May 7, 2026 - 21:45
 0  239
କେସିସି ବ୍ୟାଙ୍କରୁ ୧.୮ କୋଟି ଅର୍ଥ ଆତ୍ମସାତ୍ ଘଟଣା; ବ୍ୟାଙ୍କ ମ୍ୟାନେଜରଙ୍କ ଲିଙ୍କରେ ପ୍ରେମୀଯୁଗଳଙ୍କୁ ଗିରଫ କଲା ଭିଜିଲାନ୍ସ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0