ଜନସାଧାରଣଙ୍କ ଦୁଆରମୁହଁରେ ପ୍ରଶାସନ* ଜିଲ୍ଲାରେ ପ୍ରତି ସୋମବାର ଅନୁଷ୍ଠିତ ହେବ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି*

ମାଲକାନଗିରି(୨୫/୪)ପ୍ରତୀକ ସମାଚାର - ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ଅଧିକ ତ୍ୱରାନ୍ୱିତ ଓ ପ୍ରଭାବଶାଳୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଏକ ଅଭିନବ ତଥା ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବେ ପ୍ରତି ସୋମବାର ଦିନ ଜିଲ୍ଲାର ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଲୋକମାନଙ୍କୁ ନିଜ ସମସ୍ୟା ପାଇଁ ଆଉ ଜିଲ୍ଲା ସଦର ମହକୁମାକୁ ଦୌଡ଼ିବାକୁ ପଡ଼ିବ ନାହିଁ, ବରଂ ପ୍ରଶାସନ ନିଜେ ଲୋକଙ୍କ ନିକଟରେ ପହଞ୍ଚିବ। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ନିଜେ ନିର୍ଦ୍ଧାରିତ ପଞ୍ଚାୟତଗୁଡ଼ିକରେ ଉପସ୍ଥିତ ରହି ମିଳିତ ଅଭିଯୋଗ ଶୁଣାଣି କରିବେ। ସେହିପରି ସେହି ଦିନ ଏକା ସମୟରେ ଅନ୍ୟାନ୍ୟ ପଞ୍ଚାୟତ ଗୁଡିକରେ ଯେଉଁଠାରେ ଜିଲ୍ଲାପାଳ ଓ ଏସପି ନ ଯାଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଶୁଣାଣିର ନେତୃତ୍ୱ ନେବେ। ସେହିପରି ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ ନିକଟରେ ଜନସାଧାରଣ ନିଜର ଅଭିଯୋଗ ଜଣାଇ ପାରିବେ। ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ତହସିଲଦାର, ପୋଲିସ ବିଭାଗ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଶିବିରରେ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏହି ତତ୍ପରତା ଓ ସକ୍ରିୟତା ଦର୍ଶାଉଛି ଯେ, ସାଧାରଣ ଜନତାଙ୍କ ଅଭିଯୋଗର ପ୍ରଭାବଶାଳୀ ଏବଂ ସମୟାନୁବର୍ତ୍ତୀ ସମାଧାନ ପାଇଁ ପ୍ରଶାସନ ପ୍ରତିବଦ୍ଧ। ଦୁର୍ଗମ ଅଞ୍ଚଳର ଲୋକମାନେ ଯେପରି ସହଜରେ ସରକାରୀ ସେବା ପାଇପାରିବେ, ସେଥିପାଇଁ ଏହାକୁ ଏକ ଜରୁରୀକାଳୀନ କାର୍ଯ୍ୟଭାର ଭାବେ ଗ୍ରହଣ କରାଯାଇଛି।

Apr 26, 2026 - 19:47
 0  30

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0