ଜୀବନ ମରଣ ସହ ସଂଗ୍ରାମ କରୁଛି ବଣ୍ଡା ଯୁବକ: ସାହାଯ୍ୟ ପାଇଁ ସରକାରଙ୍କୁ ଆକୁଳ ନିବେଦନ ।

ମାଲକାନଗିରି (୦୪/୦୩)ପ୍ରତୀକ ସମାଚାର -କ୍ୟାନ୍ସର ଭଳି ଦୁରାରୋଗ୍ୟ ବ୍ୟାଧି ସହ ଲଢ଼ୁଛି ଜଣେ ନିଷ୍ପାପ ଜୀବନ। କିନ୍ତୁ ଏହି ଲଢ଼େଇରେ ଏବେ ବାଧକ ସାଜିଛି ଅର୍ଥ। ଡାକ୍ତରଖାନା ଯିବା ପାଇଁ ତାରିଖ ମିଳୁଛି, ହେଲେ ପକେଟରେ ଟଙ୍କା ନଥିବାରୁ ହସ୍ପିଟାଲ ପହଞ୍ଚି ପାରୁନାହିଁ ପରିବାର। ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଜଣେ ବଣ୍ଡା ଯୁବକଙ୍କ କଥା, ଯିଏ ଏବେ ମୃତ୍ୟୁ ସହ ପଞ୍ଝା ଲଢ଼ୁଛନ୍ତି। ମାଲକାନଗିରି ଜିଲ୍ଲା ଅନ୍ଦ୍ରାହାଲ ପଞ୍ଚାୟତର ୧୭ ବର୍ଷୀୟ ବଣ୍ଡା ଯୁବକ ସୋନିଆ ଚାଲାନ। କିଛି ଦିନ ପୂର୍ବରୁ ସବୁକିଛି ଠିକ୍ ଥିଲା, ଜୟପୁର ଜିଏଲସି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ସୋନିଆ। ମା’ ବାପାଙ୍କର ଗୋଟିଏ ବୋଲି ପୁଅ, ଭବିଷ୍ୟତର ଆଶା ବାଡ଼ି। ହେଲେ ଭାଗ୍ୟର ବିଡ଼ମ୍ବନା, ରକ୍ତ କର୍କଟ ବା ବ୍ଲଡ୍ କ୍ୟାନ୍ସରରେ ପୀଡ଼ିତ ହୋଇ ସୋନିଆ ଏବେ ଶଯ୍ୟାଶାୟୀ। ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ​ପୂର୍ବରୁ ବିଶାଖାପାଟଣାର ମହାତ୍ମା ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ତାଙ୍କର ଦୁଇଟି କେମୋ ଚିକିତ୍ସା ସରିଛି। ତୃତୀୟ କେମୋ ପାଇଁ ଡାକ୍ତର ମାର୍ଚ୍ଚ ୩ ତାରିଖ ସମୟ ଦେଇଥିଲେ। କିନ୍ତୁ ଅଭାବ ଅନାଟନ ଯୋଗୁଁ ସୋନିଆ ହସ୍ପିଟାଲ ଯାଇପାରିନାହାନ୍ତି। ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ସେଥିରୁ ଟଙ୍କା ସରିଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ବିଶାଖାପାଟଣା ଯିବା ଆସିବା ଏବଂ ରହିବା ଖାଇବା ଖର୍ଚ୍ଚ ଯୋଗାଡ଼ କରିବା ଏହି ଗରିବ ପରିବାର ପାଇଁ ଏବେ ଅସମ୍ଭବ। ପ୍ଲାଟଲେଟ୍‌ କମିଯାଉଥିବାରୁ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସୋନିଆଙ୍କର ତିନି ଭଉଣୀ। ବଡ଼ ଭଉଣୀର ବାହାଘର ସରିଥିବା ବେଳେ ସୋନିଆ ଥିଲେ ମା’ ବାପାଙ୍କ ଏକମାତ୍ର ସାହାରା। ପୁଅର ଏଭଳି ଅବସ୍ଥା ଦେଖି ବାପା ମା’ ଆଖିରୁ ଲୁହ ଶୁଖୁନି। ବଣ୍ଡା ଘାଟିର ଏହି ସରଳ ନିଷ୍ପାପ ଯୁବକଟି ଆଜି ସରକାରୀ ସାହାଯ୍ୟକୁ ଚାହିଁ ବସିଛି। ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ତୁରନ୍ତ ସହାୟତାର ହାତ ବଢ଼ାଇଲେ ସୋନିଆଙ୍କୁ ଏକ ନୂତନ ଜୀବନଦାନ ମିଳିପାରନ୍ତା। ​ସୋନିଆ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ପାଖକୁ ସାହାଯ୍ୟ କେବେ ପହଞ୍ଚୁଛି, ତାହା ଦେଖିବାକୁ ବାକି ରହିଲା।

Mar 4, 2026 - 14:18
 0  93
ଜୀବନ ମରଣ ସହ ସଂଗ୍ରାମ କରୁଛି ବଣ୍ଡା ଯୁବକ: ସାହାଯ୍ୟ ପାଇଁ ସରକାରଙ୍କୁ ଆକୁଳ ନିବେଦନ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0