ବେଆଇନ ବାଲି ମାଫିଆଙ୍କ ରାଜ, ନଦୀ ଶଯ୍ୟା ଚିରି ଲୁଟ୍ ଚାଲିଛି ପ୍ରାକୃତିକ ସମ୍ପଦ, ବିଭାଗୀୟ ଅଧିକାରୀ ଚୁପ୍
ମାଲକାନଗିରି (୦୪/୦୫)ପ୍ରତୀକ ସମାଚାର -ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି-୫୭ ଗ୍ରାମ ନିକଟରେ ଥିବା ନଦୀ ଶଯ୍ୟାରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଚରମ ସୀମାରେ ପହଞ୍ଚିଛି । ପ୍ରଶାସନର ଆଖିରେ ଧୂଳି ଦେଇ ତଥା ପ୍ରଶାସନର ନାକ ତଳେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ବାଲି ଚୋରା ଚାଲାଣ । ନଦୀରୁ ଦିନ ଦ୍ୱିପ୍ରହରରେ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବା ବେଳେ ନଦୀର ଅସ୍ତିତ୍ୱ ଏବେ ସଙ୍କଟରେ । ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ବେଆଇନ ଭାବେ ମାଫିଆମାନେ ନଦୀରୁ ବାଲି ଉଠାଇ ସୁରକ୍ଷିତ ଭାବେ ରଖିବା ପାଇଁ ନଦୀ ନିକଟରେ ଥିବା ବିଭିନ୍ନ ନିଛାଟିଆ ସ୍ଥାନ ଏବଂ ଏମଭି-୫୭ ଗ୍ରାମ ନିକଟରେ ଗଚ୍ଛିତ କରିଥିବା ବେଳେ ସୁଯୋଗ ଦେଖି ରାତି ଅଧରେ ହାଇୱା କିମ୍ବା ଟ୍ରାକ୍ଟର ମାଧ୍ୟମରେ ଚାଲାଣ କରାଯାଉଥିବା ଜଣାପଡ଼ିଛି । ସୂଚନା ମୁତାବକ ଏହି ବାଲି କେବଳ ସ୍ଥାନୀୟ ଅଞ୍ଚଳରେ ନୁହେଁ, ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ଚାଲାଣ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ବାଲି ଟ୍ରାକ୍ଟର ଟ୍ରିପ୍ ପିଛା ୩୫୦୦ ରୁ ୪୦୦୦ ରେ ବିକ୍ରି ହେଉଥିବା ବେଳେ , ଅଞ୍ଚଳ ବାହାରେ ୫୦୦୦ ରୁ ୫୫୦୦ ଟଙ୍କା ମିଳୁଥିବାରୁ ଏହି ବ୍ୟବସାୟ ବଢ଼ିବାରେ ଲାଗିଛି । ଯାହାକି ମାଫିଆଙ୍କ ଦମ୍ଭକୁ ସ୍ପଷ୍ଟ କରୁଥିବା ବେଳେ ବେଆଇନ ଭାବେ ବାଲି ଉଠାଯାଉଥିବାରୁ ଜଳ ସଂରକ୍ଷଣ ଓ ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏତେ ବଡ଼ ଦୁର୍ନୀତି ଚାଲିଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ କିମ୍ବା ରାଜସ୍ୱ ବିଭାଗ କାହିଁକି ଚୁପ୍ ରହିଛି, ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କଡ଼ା ନିୟମ କରିଥିବା ବେଳେ, ଏଠୀ କେଉଁ ଆଧାରରେ ଏହି କାରବାର ଚାଲିଛି ତାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ । ତୁରନ୍ତ ଏହି ବେଆଇନ ବାଲି ଜବତ କରାଯିବା ସହ ସଂପୃକ୍ତ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0