ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶାନ୍ତି କମିଟି ବୈଠକ: ଆଇନ ଶୃଙ୍ଖଳା ରକ୍ଷା, ସାମାଜିକ ସଂହତି ଓ ଜମି ବିବାଦର ସମାଧାନ ପାଇଁ ମିଳିତ ଆହ୍ୱାନ*
ମାଲକାନଗିରି(୨୬/୭)ପ୍ରତୀକ ସମାଚାର -
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଏଫ୍ ଏଲ୍ ସି ହଲ୍ ରେ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି କମିଟି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ପ୍ରଗତି ଏବଂ ସାମାଜିକ ସଦଭାବନାକୁ ସର୍ବୋପରି ପ୍ରାଧାନ୍ୟ ଦେଇ ମାଲକାନଗିରିର ବିଧାୟକ ନରସିଂହ ମାଡ଼କାମି ଯୋଗଦେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଏକତା ବଜାୟ ରଖିବା ପାଇଁ ଏକ ଆନ୍ତରିକ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମାଲକାନଗିରି ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖି ପରସ୍ପର ମଧ୍ୟରେ ସଂହତି ରକ୍ଷା କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଆମର ଏହି ପାରସ୍ପରିକ ଭାଇଚାରା ହିଁ ଜିଲ୍ଲାର ବିକାଶକୁ ଆଗକୁ ନେଇପାରିବ। ଏହି ସମ୍ମିଳନୀରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ଆଇନଜୀବୀ ଗୁରୁଚରଣ ମହାନ୍ତି, ମାଲକାନଗିରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିବ୍ୟ ରଞ୍ଜନ ଦଳେଇ, ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଦୋଷ ପ୍ରଧାନଙ୍କ ସହିତ ବିଭିନ୍ନ ତହସିଲର ତହସିଲଦାର, ସମସ୍ତ ଥାନାର ଆଇ ଆଇ ସି ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହିତ ମାଲକାନଗିରି ଆଦିବାସୀ ସମାଜର ସଭାପତି ବନ୍ଧୁ ମୁଦୁଲି, ବଙ୍ଗାଳୀ ସମାଜର ସଭାପତି ଗୌରାଙ୍ଗ କର୍ମକାରଙ୍କ ସମେତ ଓଡ଼ିଆ, ତେଲୁଗୁ, ମାହେଶ୍ୱରୀ ଓ ଜୈନ ସମାଜର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ବୈଠକରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସମସ୍ୟା ସହିତ ଜମିଜମା ସଂକ୍ରାନ୍ତ ବିଭିନ୍ନ ବିଷୟରେ ବିସ୍ତୃତ ଭାବେ ସକାରାତ୍ମକ ଆଲୋଚନା ହୋଇଥିଲା। ଉପ-ଜିଲ୍ଲାପାଳ ଶ୍ରୀ ଭୋଇ ଆଦିବାସୀ ଭାଇମାନଙ୍କ ଜମି ଅଣ-ଆଦିବାସୀମାନେ କିଣିଥିବା ଯୋଗୁଁ ଉପୁଜିଥିବା ବିଭିନ୍ନ ସମସ୍ୟା, ଜଙ୍ଗଲ ଜମି ଅଧିକାର ଓ ପଟ୍ଟା ମିଳିବା ଆଇନ ଏବଂ ବେସରକାରୀ ଜମି କିଣାବିକା ସଂକ୍ରାନ୍ତ ଆଇନ ବିଷୟରେ ସମସ୍ତଙ୍କୁ ବିସ୍ତାରିତ ଭାବେ ଅବଗତ କରାଇଥିଲେ।
ଜିଲ୍ଲାରେ ସାମାଜିକ ସଦଭାବନା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ସକ୍ରିୟ ଭୂମିକା ଗ୍ରହଣ କରିଛି। ପ୍ରଶାସନ ପକ୍ଷରୁ ସମସ୍ତ ଜମିଜମା ବିବାଦକୁ କେବଳ ଆଇନଗତ ଭାବେ ଓ ପ୍ରଶାସନିକ ସ୍ତରରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରାଯାଇଛି। ଉପ-ଜିଲ୍ଲାପାଳ ଶ୍ରୀ ଭୋଇ ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି, ଜମିଜମା ସଂକ୍ରାନ୍ତୀୟ ଯେକୌଣସି ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସଦା ସର୍ବଦା ପ୍ରସ୍ତୁତ ରହିଛି। ସେଥିପାଇଁ କେହି ମଧ୍ୟ ଆଇନକୁ ନିଜ ହାତକୁ ନ ନେଇ ପ୍ରଶାସନ ଜରିଆରେ ଆଇନ ଅନୁଯାୟୀ ଏହାର ସମାଧାନ ପାଇଁ ଆବେଦନ କରନ୍ତୁ। ଏଥିସହିତ ସରକାରୀ ଜମି ଜବରଦଖଲ କରିଥିବା ଲୋକମାନଙ୍କୁ ଚିହ୍ନଟ କରି, ସେମାନଙ୍କ ଅଧୀନରେ ଥିବା ସମସ୍ତ ଜମିର ପରିମାଣ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ପାଇଁ ଶ୍ରୀ ଭୋଇ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସମାଜରେ ଶାନ୍ତିପୂର୍ଣ୍ଣ ପରିବେଶ ଏବଂ ସାମାଜିକ ସୁରକ୍ଷା ବଜାୟ ରଖିବା ପାଇଁ ବୈଠକରେ ସ୍ପଷ୍ଟ କରାଯାଇଛି ଯେ, ଆଇନ ବିଷୟରେ ସଠିକ୍ ଧାରଣା ନଥାଇ ଯଦି କେହି ବ୍ୟକ୍ତି କୌଣସି ଭ୍ରମାତ୍ମକ ବା ଭୁଲ ତଥ୍ୟ ପ୍ରଚାର କରନ୍ତି, ତେବେ ସାମାଜିକ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶେଷରେ, ସବୁ ସମାଜର କର୍ମକର୍ତ୍ତାମାନେ ପ୍ରଶାସନର ଏହି ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଜିଲ୍ଲାର ସମସ୍ତ ସମସ୍ୟାର ସମାଧାନ ଆଗାମୀ ଦିନରେ କେବଳ ଶାନ୍ତିପୂର୍ଣ୍ଣ ସଂଳାପ ଓ ଆଲୋଚନା ମାଧ୍ୟମରେ କରାଯିବ ବୋଲି ସହମତି ପ୍ରଦାନ କରିଛନ୍ତି।
ଏହି ବୈଠକ ପରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ନିୟମ ଅଧୀନରେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ଏସସି/ଏସଟି ଅତ୍ୟାଚାର ମାମଲାଗୁଡ଼ିକର ସମୀକ୍ଷା କରାଯିବା ସହ ପୀଡ଼ିତଙ୍କୁ ଯଥାଶୀଘ୍ର ରିଲିଫ୍ ଓ ନ୍ୟାୟିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ବିଡିଓ , ଡିଏସପି ଏବଂ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0