ଆସନ୍ତାକାଲିଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଆରମ୍ଭ*ଘରକୁ ଘର ବୁଲିବେ ୫୪୯ ବିଏଲଓ*

ମାଲକାନଗିରି(୨୯/୫)ଉତ୍କଳ ସମାଜ- ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାର ସଠିକତା ଏବଂ ସଂଶୋଧନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଆସନ୍ତାକାଲି ଅର୍ଥାତ୍ ୩୦ ମେ ଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଭୋଟର ତାଲିକାରେ ନୂତନ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଗ୍ୟତା ତାରିଖ ୦୧.୦୭.୨୦୨୬ ସ୍ଥିର କରାଯାଇଛି। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜିଲ୍ଲାପାଳ ଶ୍ରୀ ରାଜଶିର୍କେ କହିଛନ୍ତି ଯେ ଏକ ସ୍ୱଚ୍ଛ ଓ ସଠିକ ଭୋଟର ତାଲିକା ହିଁ ସୁଦୃଢ଼ ଗଣତନ୍ତ୍ରର ମୂଳଦୁଆ।ବିଏଲଓମାନେ ପ୍ରତି ଘରକୁ ଯାଇ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାର କୌଣସି ବି ଯୋଗ୍ୟ ଭୋଟର ଯେପରି ଏହି ପ୍ରକ୍ରିୟାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ବିଏଲଓମାନଙ୍କୁ ସଠିକ ତଥ୍ୟ ପ୍ରଦାନ କରି ଏହି ସ୍ୱତନ୍ତ୍ର ସଂଶୋଧନ ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହି ପ୍ରକ୍ରିୟା ଅଧୀନରେ ଜିଲ୍ଲାର ଦୁଇଟି ନିର୍ବାଚନମଣ୍ଡଳୀରେ ସମୁଦାୟ ୫୪୯ ଜଣ ବିଏଲଓ ୩୦.୦୫.୨୦୨୬ ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏଥିମଧ୍ୟରୁ ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ୩୦୨ ଜଣ ଏବଂ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ୨୪୭ ଜଣ ବିଏଲଓ ସାମିଲ ଅଛନ୍ତି। ସେମାନେ ମାଲକାନଗିରିର ୨,୫୨,୬୯୧ ଭୋଟର ଏବଂ ଚିତ୍ରକୋଣ୍ଡାର ୨,୦୯,୪୮୦ ଭୋଟରଙ୍କୁ ୨ଟି ଲେଖାଏଁ ପରିଗଣନା ଫର୍ମ ପ୍ରଦାନ କରିବା ସହ ଫର୍ମ ପୂରଣରେ ମାର୍ଗଦର୍ଶନ କରିବେ। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ନିର୍ବାଚନମଣ୍ଡଳୀର ୨,୩୬,୦୭୮ (୯୩.୪୩%) ଏବଂ ଚିତ୍ରକୋଣ୍ଡାର ୧,୯୯,୭୩୧ (୯୫.୩୫%) ଭୋଟରଙ୍କ ନାମ ୨୦୦୨ ମସିହା ଭୋଟର ତାଲିକା ସହିତ ମ୍ୟାପିଂ କରାଯାଇସାରିଛି। ଅବଶିଷ୍ଟ ମାଲକାନଗିରିର ୧୬,୬୧୩ ଏବଂ ଚିତ୍ରକୋଣ୍ଡାର ୯, ୭୪୯ ଭୋଟର ପରିଗଣନା ଫର୍ମ ସହ ଆବଶ୍ୟକୀୟ ଦସ୍ତାବିଜ ବିଏଲଓ ମାନଙ୍କୁ ହସ୍ତାନ୍ତର କରିବେ। ଏହି ସ୍ୱତନ୍ତ୍ର କାର୍ଯ୍ୟସୂଚୀ ଅନୁଯାୟୀ, ୩୦.୦୫.୨୦୨୬ ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ପରିଗଣନା ଫର୍ମ ପୂରଣ ଅବଧି ଚାଲିବ। ଏହାପରେ ୦୫.୦୭.୨୦୨୬ ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ୦୫.୦୭.୨୦୨୬ ରୁ ୦୨.୦୯.୨୦୨୬ ମଧ୍ୟରେ ନୋଟିସ ଜାରି ସହ ଆପତ୍ତିର ନିଷ୍ପତ୍ତି ନିଆଯିବ। ଶେଷରେ ୦୬.୦୯.୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଧ୍ୟତନ କରିବା ପାଇଁ ଏସଆଇଆର ପ୍ରକ୍ରିୟାରେ ବିଏଲଓ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ସହାୟକ ଜିଲ୍ଲାପାଳ ଅଶୋକ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ।

May 29, 2026 - 19:16
 0  54
ଆସନ୍ତାକାଲିଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଆରମ୍ଭ*ଘରକୁ ଘର ବୁଲିବେ ୫୪୯ ବିଏଲଓ*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0