ଜିଲ୍ଲାପାଳଙ୍କ ଦ୍ୱାରା ‘ସଚେତନତା ରଥ’ ର ଶୁଭାରମ୍ଭ, ଗାଁ ଗାଁରେ ବଣ୍ଟାହେବ ଫର୍ମ*

ମାଲକାନଗିରି(୦୪/୦୬)ପ୍ରତୀକ ସମାଚାର - ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଏକ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ପ୍ରସ୍ତୁତ କରିବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱତନ୍ତ୍ର ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ସ୍ୱୀପ୍ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ଚିଠା ସଂଶୋଧନ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରାଯିବ।ମାଲକାନଗିରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଚେତନତା ରଥର ପତାକା ଦେଖାଇ ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି। ଏହି ମେଗା ଶୁଭାରମ୍ଭ ସମୟରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ୧୪୭-ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ବେଦବର ପ୍ରଧାନ ଏବଂ ଉପ-ଜିଲ୍ଲାପାଳ ତଥା ୧୪୬-ମାଲକାନଗିରି ନିର୍ବାଚନ ମଣ୍ଡଳୀର ଇଆରଓ ଦୁର୍ଯ୍ୟୋଧନ ଭୋଇ ଙ୍କ ସମେତ କଲେକ୍ଟରେଟ୍‌ର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଜେଶିର୍କେ କହିଛନ୍ତି ଯେ ଗଣତନ୍ତ୍ରରେ ପ୍ରତ୍ୟେକଟି ଭୋଟ୍‌ର ମୂଲ୍ୟ ଅମୂଲ୍ୟ। ଜିଲ୍ଲାର କୌଣସି ବି ଯୋଗ୍ୟ ନାଗରିକ ଯେପରି ନିଜର ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ଚିଠା ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ସଚେତନତା ରଥ ଗାଁ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବ ଏବଂ ବିଏଲଓମାନେ ଘର ଘର ବୁଲି ଫର୍ମ ବଣ୍ଟନ କରିବେ। ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ସମସ୍ତେ ଏହି ଅଭିଯାନରେ ସହଯୋଗ କରି ନିଜର ନାମ ଯାଞ୍ଚ କରନ୍ତୁ ଏବଂ ନୂତନ ନାମ ପଞ୍ଜୀକରଣ କରି ଏକ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବାରେ ପ୍ରଶାସନକୁ ସହାୟତା କରନ୍ତୁ।କେବଳ ସହର ନୁହେଁ, ବରଂ ଗ୍ରାମାଞ୍ଚଳର ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଶାସନ ସିଧାସଳଖ ମଇଦାନକୁ ଓହ୍ଲାଇଛି। ରଥ ଶୁଭାରମ୍ଭ ପରେ ପରେ ଜିଲ୍ଲାପାଳ ଶ୍ରୀ ରାଜେଶିର୍କେ ଏବଂ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ମାଲକାନଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମ୍.ଭି-୭ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ବୁଥ୍ ସ୍ତରୀୟ ଅଧିକାରୀ ଙ୍କ ଦ୍ୱାରା ଚାଲିଥିବା ଭୋଟର ତାଲିକା ସଂଶୋଧନ ଓ ନୂତନ ନାମ ପଞ୍ଜୀକରଣ ପାଇଁ ଫର୍ମ ବଣ୍ଟନ କାର୍ଯ୍ୟର ସେମାନେ ସମୀକ୍ଷା କରିବା ସହ ନିଜେ ଉପସ୍ଥିତ ରହି ଜନସାଧାରଣଙ୍କୁ ଫର୍ମ ବଣ୍ଟନ କରିଥିଲେ। ସ୍ଥାନୀୟ ଲୋକଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ବିଷୟରେ ବୁଝାଇବା ସହ ସମସ୍ତ ଯୋଗ୍ୟ ବ୍ୟକ୍ତି ଯେପରି ଏହି ତାଲିକାରେ ସାମିଲ ହେବେ, ସେଥିପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ଯେ, ଯେଉଁମାନଙ୍କର ବୟସ ୧୮ ବର୍ଷ ବା ତା’ଠାରୁ ଅଧିକ ହୋଇଛି କିମ୍ବା ଭୋଟର କାର୍ଡରେ କୌଣସି ସଂଶୋଧନ ଯଥା ନାମ, ବୟସ, କିମ୍ବା ଠିକଣା ଭୁଲ ରହିଛି, ସେମାନେ ତୁରନ୍ତ ନିଜ ଅଞ୍ଚଳର ବିଏଲଓ ଙ୍କ ସହ ଯୋଗାଯୋଗ କରି ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ଚିଠା ସଂଶୋଧନ ଅଭିଯାନର ଲାଭ ଉଠାନ୍ତୁ।

Jun 4, 2026 - 13:17
 0  56
ଜିଲ୍ଲାପାଳଙ୍କ ଦ୍ୱାରା ‘ସଚେତନତା ରଥ’ ର ଶୁଭାରମ୍ଭ, ଗାଁ ଗାଁରେ ବଣ୍ଟାହେବ ଫର୍ମ*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0