ମାଲକାନଗିରି ଜିଲ୍ଲାରେ ଦୁଇଟି ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା*

ମାଲକାନଗିରି(୧/୭)ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଜିଲ୍ଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ଚାଲୁ ରହିଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ହଳଧର ଶବର ମଧ୍ୟ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ରହି ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାର ସମୃଦ୍ଧ ଆଦିବାସୀ ଐତିହ୍ୟକୁ ବଞ୍ଚାଇ ରଖିବା ସହ ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଏହି ପଦକ୍ଷେପ ନିଆଯାଇଛି।ଜିଲ୍ଲାପାଳ ଓ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ସର୍ବପ୍ରଥମେ ସ୍ଥାନୀୟ ଆଦିବାସୀ ପଡ଼ିଆ ପରିଦର୍ଶନ କରିଥିଲେ। ସେଠାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ଜନଜାତି ସଂଗ୍ରହାଳୟ କାର୍ଯ୍ୟର ଅଗ୍ରଗତି ନେଇ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସଂଗ୍ରହାଳୟ ଅଞ୍ଚଳର ପାରମ୍ପରିକ ଆଦିବାସୀ କଳା, ପୋଷାକ, ଅସ୍ତ୍ରଶସ୍ତ୍ର ଏବଂ ଜୀବନଶୈଳୀକୁ ପ୍ରଦର୍ଶିତ କରିବ। ଆଗାମୀ ପିଢ଼ି ପାଇଁ ମାଲକାନଗିରିର ସମୃଦ୍ଧ ଜନଜାତି ସଂସ୍କୃତିକୁ ସୁରକ୍ଷିତ ରଖିବାରେ ଏହା ଏକ ପ୍ରମୁଖ ସ୍ତମ୍ଭ ସାଜିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।ଏହା ପରେ ଜିଲ୍ଲାପାଳ ଓ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ମାଲକାନଗିରି ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପରିସର ଗସ୍ତ କରିଥିଲେ। ସେଠାରେ ନିର୍ମାଣାଧୀନ ଅତ୍ୟାଧୁନିକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ର ନିର୍ମାଣ କାର୍ଯ୍ୟର ସେ ପ୍ରତ୍ୟକ୍ଷ ତଦାରଖ କରିଛନ୍ତି। ଏହି କମ୍ପ୍ଲେକ୍ସ ଦ୍ୱାରା ଜନଜାତି ଛାତ୍ରଛାତ୍ରୀମାନେ ଉନ୍ନତମାନର କ୍ରୀଡ଼ା ପ୍ରଶିକ୍ଷଣ ପାଇପାରିବେ। କ୍ରୀଡ଼ା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ, ସେ ନେଇ ଜିଲ୍ଲାପାଳ କାର୍ଯ୍ୟକାରୀ ସଂସ୍ଥାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Jul 1, 2026 - 18:09
 0  137
ମାଲକାନଗିରି ଜିଲ୍ଲାରେ ଦୁଇଟି ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା*

What's Your Reaction?

Like Like 1
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0