ମାଲକାନଗିରିରେ ପ୍ରଧାନ ଶିକ୍ଷକ ସମ୍ମିଳନୀ* *ଶିକ୍ଷା ଗୁଣବତ୍ତା ଓ ପରୀକ୍ଷା ଫଳ ଉନ୍ନତି ଉପରେ ଜୋର*

ମାଲକାନଗିରି,(୨୨/୦୪)ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଏକଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ମୁଖ୍ୟ ଆତିଥ୍ୟରେ ଆୟୋଜିତ ଏହି ସଭାରେ ଶିକ୍ଷାର ମାନଦଣ୍ଡ ବୃଦ୍ଧି ଏବଂ ଆଗାମୀ ବୋର୍ଡ ପରୀକ୍ଷାରେ କିଭଳି ଉନ୍ନତ ଫଳାଫଳ ମିଳିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, ପ୍ରଧାନ ଶିକ୍ଷକମାନେ ହେଉଛନ୍ତି ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ତାଙ୍କରି ନେତୃତ୍ୱରେ ହିଁ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇପାରିବ। ଶିକ୍ଷକମାନଙ୍କର ସମସ୍ୟା ସମାଧାନ ପାଇଁ ପ୍ରଶାସନ ସବୁବେଳେ ସହଯୋଗ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ସମ୍ମିଳନୀରେ ବିଜ୍ଞାନ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେବା, ମାତୃଭାଷା ଭିତ୍ତିକ ଶିକ୍ଷାର ପ୍ରସାର, ଛାତ୍ରଛାତ୍ରୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ଛାତ୍ରାବାସ ସମସ୍ୟାର ସମାଧାନ ଏବଂ ବିଦ୍ୟାଳୟ ରେକର୍ଡଗୁଡ଼ିକର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସିଡିଏମଓ ଡା. ଡୋଳାମଣି ପ୍ରଧାନ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ହଳଧର ଶବର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର ୭ଟି ବ୍ଲକରୁ ପ୍ରାୟ ୧୫୦ ଜଣ ପ୍ରଧାନ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ପ୍ରଗତି ପ୍ରତି ମାସରେ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

Apr 22, 2026 - 16:26
 0  55
ମାଲକାନଗିରିରେ ପ୍ରଧାନ ଶିକ୍ଷକ ସମ୍ମିଳନୀ*  *ଶିକ୍ଷା ଗୁଣବତ୍ତା ଓ ପରୀକ୍ଷା ଫଳ ଉନ୍ନତି ଉପରେ ଜୋର*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0