ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପ୍ରଶାସନର କଡ଼ା ଆଭିମୁଖ୍ୟ: ମାଲକାନଗିରି ଜିଲ୍ଲାପାଳଙ୍କ ସମୀକ୍ଷା ପରେ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ*

*ମାଲକାନଗିରି(୨୪/୦୬)ପ୍ରତୀକ ସମାଚାର - ଜିଲ୍ଲାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରଶଂସନୀୟ ତଥା ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୮୮ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ ସର୍ଦ୍ଦାରଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଏବଂ ବିଦ୍ୟାଳୟ ପରିଚାଳନାରେ ଅନିୟମିତତା ଅଭିଯୋଗରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ଏବଂ ସରକାରୀ ନିୟମର ସଠିକ୍ ଅନୁପାଳନ ତଦାରଖ କରିବା ପାଇଁ ଗତ ୨୨ ଜୁନ୍ ୨୦୨୬ ରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ କାଲିମେଳା ବ୍ଲକ ଶିକ୍ଷା ଅଧିକାରୀ ମିଳିତ ଭାବେ ଏହି ବିଦ୍ୟାଳୟ ପରିଦର୍ଶନ କରି ସମୀକ୍ଷା କରିଥିଲେ। ସରକାରୀ ପାଣ୍ଠିର ସଠିକ୍ ବିନିଯୋଗ ଏବଂ ମଧ୍ୟାହ୍ନ ଭୋଜନ ର ସ୍ୱଚ୍ଛତା ଉପରେ ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଇଆସୁଥିବା ବେଳେ, ଏହି ସମୀକ୍ଷା ସମୟରେ ବିଦ୍ୟାଳୟର କ୍ୟାସବୁକ୍ ଏବଂ କନସମ୍ପସନ ରେଜିଷ୍ଟର ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣ କରାଯାଇ ନଥିବା ପ୍ରଶାସନିକ ଅଧିକାରୀମାନେ ଚିହ୍ନଟ କରିଛନ୍ତି। ଏହାସହ ଏସଏମସି ରେଜିଷ୍ଟରରେ ରହିଥିବା କିଛି ତ୍ରୁଟି ଏବଂ ନୂତନ ଶିକ୍ଷାବର୍ଷ ପାଇଁ ସମୟ ନିର୍ଘଣ୍ଟ ପ୍ରସ୍ତୁତିରେ ବିଳମ୍ବକୁ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ବିଦ୍ୟାଳୟ ପରିବେଶକୁ ସୁନ୍ଦର ଓ ସୁରକ୍ଷିତ ରଖିବା ପାଇଁ ରହିଥିବା ନିର୍ଦ୍ଦେଶକୁ ଅବହେଳା କରି କାମ୍ପସରେ ଆବର୍ଜନା ଓ କାଠଗଣ୍ଡି ରଖାଯାଇଥିବାରୁ ପ୍ରଶାସନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ, କାଲିମେଳା ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ୩ ଦିନ ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ ଆଦେଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳେ, ତେବେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ରୁଲ୍ ୧୯୬୨ ଅନୁଯାୟୀ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଶାସନର ଏହି ତ୍ୱରିତ ଓ କଠୋର ଆଭିମୁଖ୍ୟ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ସଂସ୍କାର ଆଣିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

Jun 24, 2026 - 20:46
 0  211
ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପ୍ରଶାସନର କଡ଼ା ଆଭିମୁଖ୍ୟ: ମାଲକାନଗିରି ଜିଲ୍ଲାପାଳଙ୍କ ସମୀକ୍ଷା ପରେ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1