ଅପପୁଷ୍ଟି ମୁକ୍ତ ହେବ ମାଲକାନଗିରି* ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ପୋଷଣ-୧୫ ଶୁଭାରମ୍ଭ*

ମାଲକାନଗିରି(୨୨/୩)ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲାରୁ ଅପପୁଷ୍ଟିର ସମ୍ପୂର୍ଣ୍ଣ ନିରାକରଣ ଏବଂ ଶିଶୁମାନଙ୍କ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ପୋଷଣ-୧୫ ର ଶୁଭାରମ୍ଭ କରାଯାଇଛି। ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଏକ ଭିଡିଓ କନଫରେନ୍ସିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଶିଶୁମାନଙ୍କ ମଧ୍ୟରେ ଥିବା ଅପପୁଷ୍ଟି ଓ ବାମନତା ସମସ୍ୟା ଦୂର କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଏଥିରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି।ଏହି ଅଭିଯାନ ଅଧୀନରେ ପ୍ରଶାସନ ପକ୍ଷରୁ ୧୫ଟି ପ୍ରଭାବଶାଳୀ ସ୍ଲୋଗାନ ପ୍ରସ୍ତୁତ କରାଯାଇଛି। ଏହି ସ୍ଲୋଗାନଗୁଡ଼ିକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ନିକଟରେ ପହଞ୍ଚାଯିବ। ସୁସ୍ଥ ଶରୀର, ସୁସ୍ଥ ମନ, ସଠିକ ପୋଷଣ ଆମର ଧନ ଭଳି ବାର୍ତ୍ତା ଦେଇ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରତି ଆକୃଷ୍ଟ କରାଯିବାର ଯୋଜନା ରହିଛି । ଖୁବଶୀଘ୍ର ପ୍ରତ୍ୟେକ ବ୍ଲକରେ ବିଡିଓ ମାନଙ୍କ ନେତୃତ୍ୱରେ ବ୍ଲକ ଶିକ୍ଷା ଅଧିକାରୀ ଓ ଅଙ୍ଗନବାଡି କର୍ମୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏହି ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ମା ଏବଂ ଶିଶୁମାନଙ୍କୁ ସଠିକ ପୋଷଣର ମହତ୍ତ୍ୱ ବୁଝାଇବେ। ଜିଲ୍ଲାର ପିଲାମାନେ ଯେପରି ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ ହେବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛି। ସୁସ୍ଥ ଶିଶୁ, ସୁସ୍ଥ ମାଆ, ବିକଶିତ ହେବ ଆମ ଓଡ଼ିଶା - ଏହି ନାରାକୁ ପାଥେୟ କରି ମାଲକାନଗିରିକୁ ଏକ ମଡେଲ ଜିଲ୍ଲାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

Mar 22, 2026 - 18:31
 0  44
ଅପପୁଷ୍ଟି ମୁକ୍ତ ହେବ ମାଲକାନଗିରି* ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ପୋଷଣ-୧୫ ଶୁଭାରମ୍ଭ*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0