ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିରେ “ଆମ ପୋଷାକ, ଆମ ପରିଚୟ” ପାଳିତ
ମାଲକାନଗିରି,(୦୩/୦୪)ପ୍ରତୀକ ସମାଚାର -
ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିରେ “ଆମ ପୋଷାକ, ଆମ ପରିଚୟ” ଶୀର୍ଷକ ଅନୁଷ୍ଠାନଟି ଅତ୍ୟନ୍ତ ଉତ୍ସାହ ଓ ଗମ୍ଭୀରତାର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ପାରମ୍ପରିକ ପୋଷାକର ଗୁରୁତ୍ୱ, ଆମ ସଂସ୍କୃତି ସହ ତାହାର ଅଭିନ୍ନ ସମ୍ପର୍କ ଓ ନୂତନ ପିଢ଼ୀ ମଧ୍ୟରେ ଏହା ପ୍ରତି ସଚେତନତା ସୃଷ୍ଟି କରିବା।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ତାଙ୍କ ଅଭିଭାଷଣରେ ସେ କହିଥିଲେ ଯେ, ପୋଷାକ କେବଳ ଦେହ ଆବରଣ ନୁହେଁ, ଏହା ଆମ ସଂସ୍କୃତି, ପରମ୍ପରା ଓ ଆମ ପରିଚୟର ଏକ ମୂଲ୍ୟବାନ ପ୍ରତୀକ। ଆଜିର ଆଧୁନିକ ଯୁଗରେ ଯେଉଁଠାରେ ପଶ୍ଚିମାଞ୍ଚଳୀୟ ପ୍ରଭାବ ବଢ଼ୁଛି, ସେଠାରେ ଆମ ନିଜସ୍ୱ ପରମ୍ପରାଗତ ପୋଷାକକୁ ଅଟୁଟ ରଖିବା ଆବଶ୍ୟକ।
ଆଡ଼ମିଷ୍ଟ୍ରେଟିଭ ଭର୍ଷର ଡ଼. ପ୍ରସନ୍ନ କୁମାର ବରାଳ, ଆକାଉଣ୍ଟ ଭର୍ଷର ଡ଼. ହିମାଂଶୁ ଶେଖର ସାହୁ, ପରୀକ୍ଷା ନିୟନ୍ତ୍ରକ ଡ଼. ରତ୍ନାକର ପରିଡା ମଧ୍ୟ ଏହି ଅବସରରେ ନିଜ ମତାମତ ରଖିଥିଲେ। ସେମାନେ ପୋଷାକ ମାଧ୍ୟମରେ ଜାତିୟ ଏକତା, ସଂସ୍କୃତିର ସୁରକ୍ଷା ଓ ଆତ୍ମପରିଚୟର ଗଠନ ବିଷୟରେ ଆଲୋଚନା କରିଥିଲେ।
ପାଠଚକ୍ର ସଂଯୋଜକ ପ୍ରିତମ କୁମାର ମହଲା, ଶ୍ରୀମତି କଳ୍ପନା ଦଳେଇ, ଡ଼. ଚିନ୍ମୟ ମହାନନ୍ଦ ଓ ଡ଼. ଦେବାଶିଷ ପାହି ମଞ୍ଚରେ ଉପସ୍ଥିତ ଥିଲେ ଏବଂ ତାଙ୍କର ମତାମତ ମାଧ୍ୟମରେ କାର୍ଯ୍ୟକ୍ରମକୁ ଅଧିକ ସାରଗର୍ଭିତ କରିଥିଲେ।
ଏହି ଅନୁଷ୍ଠାନର ମୁଖ୍ୟ ଆଲୋଚନାରେ ଲିପିକା ଦାସ ଓ ଗୁରୁପ୍ରସାଦ ଲେଙ୍କା ଯୋଗଦେଇ ପୋଷାକର ଐତିହାସିକ ପରିପ୍ରେକ୍ଷ୍ୟ, ସାମାଜିକ ପ୍ରଭାବ ଓ ଏହାର ଆଧୁନିକ ପରିବର୍ତ୍ତନ ଉପରେ ଅଲୋକ ପାତ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ପୂଜା ମହାପାତ୍ର ଓ ସୌଦାଗର ସିଅ, ଯେଉଁମାନେ ନିଜର ସୁଚିନ୍ତିତ ସମ୍ପାଦନା ଓ ସମନ୍ୱୟ ଦ୍ୱାରା ଅନୁଷ୍ଠାନକୁ ସଫଳତାର ସହ ଆଗେଇ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପିନ୍ଧି ଯୋଗଦେଇଥିଲେ, ଯାହା ଅନୁଷ୍ଠାନକୁ ଅଧିକ ଆକର୍ଷଣୀୟ କରିଥିଲା। ସେମାନେ ନିଜ ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ଗର୍ବ ବୋଧ କରିଥିଲେ ଏବଂ ଏହାକୁ ଅଟୁଟ ରଖିବାର ସଂକଳ୍ପ ନେଇଥିଲେ।
ଶେଷରେ, ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ମନରେ ନିଜ ପରମ୍ପରାଗତ ପୋଷାକ ପ୍ରତି ଭଲପାଇବା ଓ ସଚେତନତା ବୃଦ୍ଧି କରିଥିବା ସହ ଏକ ସ୍ମରଣୀୟ ଅନୁଭୂତି ଭାବେ ରହିଗଲା।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0