ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଦ୍ୱାରା ମାଲକାନଗିରିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା*

ମାଲକାନଗିରି(୫/୫)ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ ପ୍ରମୁଖ ଉପସ୍ଥିତ ଥିଲେ।ବୈଠକରେ ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ, ପିଏମ୍-ଜନମନ, ଆଦର୍ଶ ଗ୍ରାମ ଯୋଜନା, ବିଜୁ ପକ୍କା ଘର ଯୋଜନା ଏବଂ ନୂତନ ସ୍ପେଶାଲ ପକ୍କା ଘର ଯୋଜନା ଭଳି ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାର ଅଗ୍ରଗତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିସହ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ଗ୍ରାମ୍ୟ ନିର୍ମାଣ ବିଭାଗ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ପ୍ରକଳ୍ପଗୁଡ଼ିକର ସ୍ଥିତି ପରଖା ଯାଇଥିଲା। ମନରେଗା ଯୋଜନାରେ ଦୈନିକ କାର୍ଯ୍ୟର ଅଗ୍ରଗତି, ଶ୍ରମିକ ନିୟୋଜନ ଏବଂ ଶ୍ରମ ଦିବସ ସୃଷ୍ଟିର ଲକ୍ଷ୍ୟ ପୂରଣ କରିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାୟକ ନିର୍ଦ୍ଦେଶ ଦେଇ କହିଥିଲେ ଯେ ସମସ୍ତ ଗ୍ରାମୀଣ ଆବାସ ଯୋଜନା, ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ, ପିଏମ୍-ଜନମନ ର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକ। ମନରେଗା ଯୋଜନାରେ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ସହ ସ୍ଥାନୀୟ ଶ୍ରମିକମାନଙ୍କୁ ନିୟୋଜିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିକଶିତ ଗାଁ ବିକଶିତ ଓଡ଼ିଶା ଅଭିଯାନ ଅଧୀନରେ ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ଗାଁର ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ସେଥିପ୍ରତି ଯତ୍ନବାନ ହେବାକୁ ସେ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାନୀୟ ଜଳ ଓ ରାସ୍ତା ନିର୍ମାଣ କାର୍ଯ୍ୟର ମାନ ବଜାୟ ରଖିବା ସହ ଏଥିରେ କୌଣସି ଅବହେଳା ନକରିବାକୁ ସେ ଚେତାବନୀ ଦେଇଥିଲେ। ପ୍ରକଳ୍ପଗୁଡ଼ିକର ଦୈନିକ ଅଗ୍ରଗତିର ସମୀକ୍ଷା କରିବାକୁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ମଧ୍ୟ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ନିୟମିତ ତଦାରଖ କରାଯାଉଥିବା ଏବଂ ବିଶେଷ କରି ପିଏମ୍-ଜନମନ ଯୋଜନାକୁ ତ୍ୱରାନ୍ୱିତ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ଜିଲ୍ଲାର ସମସ୍ତ ବିଡିଓ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର କାର୍ଯ୍ୟଧାରା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଥିଲେ।

May 5, 2026 - 18:06
 0  58
ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଦ୍ୱାରା ମାଲକାନଗିରିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0