ସେତୁ ଓ ଜନମନ ଯୋଜନା କାର୍ଯ୍ୟର ଅନୁଧ୍ୟାନ*ନାରିଙ୍ଗଝୋଲାକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ିବାକୁ ପ୍ରଶାସନର ଗୁରୁତ୍ୱ*

ମାଲକାନଗିରି,(୨୪/୪)ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ଗ୍ରାମ ପଞ୍ଚାୟତରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଏବଂ ଚାଲିଥିବା ପ୍ରକଳ୍ପ ଗୁଡିକର ସଠିକ୍ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏକ ସ୍ୱତନ୍ତ୍ର ପରିଦର୍ଶନ କରିଛନ୍ତି। ପ୍ରଶାସନର ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ଥିଲା ସରକାରୀ ଯୋଜନା ଗୁଡ଼ିକର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଏବଂ ଲୋକଙ୍କର ସମସ୍ୟା ଗୁଡିକୁ ପ୍ରତ୍ୟକ୍ଷ ଭାବରେ ଶୁଣି ତାର ସମାଧାନ କରିବା।ବାୟାପଡ଼ା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାଳରେ ଅତିରିକ୍ତ ଶ୍ରେଣୀ ଗୃହର ସ୍ଥିତି ପରଖିବା ପରେ ଗ୍ରାମରେ ବହୁ ଦିନରୁ ଅସମ୍ପୂର୍ଣ୍ଣ ରହିଥିବା ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ବିଷୟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ବି.ଡି.ଓ ଙ୍କୁ କାର୍ଯ୍ୟଟିକୁ ଅତି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେହିଠାରେ ହିଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଦାମଦରବେଡ଼ା ଗ୍ରାମରେ ସେତୁ ଯୋଜନାରେ ନିର୍ମାଣଧୀନ ୩୦ ଲକ୍ଷ ଟଙ୍କାର ବକ୍ସ ସେଲ୍ କଲଭର୍ଟ କାର୍ଯ୍ୟର ଅନୁଧ୍ୟାନ ବେଳେ ବର୍ଷା ଦିନ ପୂର୍ବରୁ ଏବଂ ସବୁ ସମୟ ପାଇଁ ଗୁଣବତ୍ତା ଅପରିବର୍ତ୍ତିତ ରଖିବାକୁ ପରାମର୍ଶ ଦିଆଯାଇଛି।ଗଙ୍ଗାପଡ଼ା ଗ୍ରାମରେ ଚାଲିଥିବା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଓ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣରେ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ପରିଲକ୍ଷିତ ହୋଇଥିଲା। ଏହାକୁ ନେଇ ଜିଲ୍ଲାପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଦାୟିତ୍ୱରେ ଥିବା ଠିକା ସଂସ୍ଥାକୁ ତାଗିଦ୍ କରି ଉଚ୍ଚମାନର ନିର୍ମାଣ ଶୈଳୀ ଆପଣେଇବାକୁ ସତର୍କ କରାଇଥିଲେ। ସେହିପରି ନାରିଙ୍ଗଝୋଲା ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ିବାକୁ ହେଲେ ସେଠାରେ ଥିବା ଗ୍ରାମୀଣ ହାଟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଜନମନ) ଯୋଜନାରେ ନିର୍ମିତ ହେଉଥିବା ୪୦ଟି ଗରିବ ପରିବାରଙ୍କ ଆବାସ ଗୃହ ନିର୍ମାଣକୁ ଠିକ୍ ସମୟରେ ସାରିବାକୁ ଯୋଜନା କରାଯାଇଛି।ରାବା ଗ୍ରାମର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ସହ ନୀଲାପାରି ସ୍ଥିତ କୃଷି ଉତ୍ପାଦନ କ୍ଲଷ୍ଟର ପରିଦର୍ଶନ ବେଳେ ଜିଲ୍ଲାପାଳ ଚାଷୀ ଓ ଅନ୍ୟ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସଫଳତା ଓ ସମସ୍ୟା ବୁଝିଥିଲେ। ସେହିପରି ନାକାମାମୁଡି ଜଳ ଯୋଗାଣ ପ୍ରକଳ୍ପ ବୁଲି ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ତଦାରଖ କରିଥିଲେ। ସମସ୍ତ ଅଧିକାରୀଙ୍କୁ ଆଗାମୀ ୨ ମାସ ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟ ସମାପ୍ତ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି। ଏହି କ୍ଷେତ୍ର ପରିଦର୍ଶନ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଦାଶରଥି ସରାବୁ, ପିଏ ଆଇଟିଡିଏ ହଳଧର ଶବର ଙ୍କ ସମେତ ଜିଲ୍ଲାର ପ୍ରଶାସନିକ ପ୍ରମୁଖ ବ୍ୟକ୍ତି ବିଶେଷ ଓ ଯନ୍ତ୍ରୀମାନେ ସାମିଲ ଥିଲେ।

Apr 24, 2026 - 14:31
 0  62
ସେତୁ ଓ ଜନମନ ଯୋଜନା କାର୍ଯ୍ୟର ଅନୁଧ୍ୟାନ*ନାରିଙ୍ଗଝୋଲାକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ିବାକୁ ପ୍ରଶାସନର ଗୁରୁତ୍ୱ*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0