ଜିଲ୍ଲାସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ*ଚାଷୀଙ୍କ ପାଇଁ ଉପହାର: ମାର୍ଚ୍ଚ ୧୩ରେ ଡିଜିଟାଲ୍ ମାଧ୍ୟମରେ ୨୦୦୦ ଟଙ୍କା ପଠାଇଲେ କେନ୍ଦ୍ର ସରକାର*

ମାଲକାନଗିରି(୧୩/୩)ପ୍ରତୀକ ସମାଚାର - ଆଜି ଜିଲାସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, କୃଷି ବିକାଶ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଦେବୀ ପ୍ରସାଦ ଦାସ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ ମଞ୍ଚାସିନ ଥିଲେ। କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ପିଏମ୍ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୨ତମ କିସ୍ତି ଆଜି ମାର୍ଚ୍ଚ ୧୩ ତାରିଖରେ ଚାଷୀମାନଙ୍କୁ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୌହାଟୀଠାରେ ଆୟୋଜିତ ଏକ ବୃହତ୍ ଉତ୍ସବରେ ଯୋଗଦେଇ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଏହି ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି ।ଏହି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ଖାତାରେ ଜମା ହୋଇଛି। ସୂଚନାଯୋଗ୍ୟ, ପିଏମ୍-କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯାଏ। ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ୨୨ତମ କିସ୍ତିରେ ମାଲକାନଗିରି ଜିଲ୍ଲାର ହଜାର ହଜାର ଚାଷୀ ଉପକୃତ ହୋଇଛନ୍ତି। ଜିଲ୍ଲାର ପ୍ରାୟ ୭୫,୦୦୦ ରୁ ଅଧିକ ପଞ୍ଜିକୃତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨,୦୦୦ ଟଙ୍କା ଲେଖାଏଁ ପଠାଯାଇଛି।ମାଲକାନଗିରି ପରି ଆଦିବାସୀ ବହୁଳ ଜିଲ୍ଲାର ଚାଷୀମାନଙ୍କ ପାଇଁ ଏହି ଅର୍ଥ ଚାଷ କାର୍ଯ୍ୟ ଓ ବିହନ କିଣିବାରେ ବହୁତ ସହାୟକ ହେବ। ଏହି ଯୋଜନା ଦେଶର କୋଟି କୋଟି ଚାଷୀ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛି। ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଚାଷୀ ଭାଇ ଭଉଣୀଙ୍କ ସମେତ କୃଷି ବିଭାଗର ସମସ୍ତ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Mar 13, 2026 - 20:23
Mar 13, 2026 - 20:25
 0  25
ଜିଲ୍ଲାସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ*ଚାଷୀଙ୍କ ପାଇଁ ଉପହାର: ମାର୍ଚ୍ଚ ୧୩ରେ ଡିଜିଟାଲ୍ ମାଧ୍ୟମରେ ୨୦୦୦ ଟଙ୍କା ପଠାଇଲେ କେନ୍ଦ୍ର ସରକାର*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0